ଜାତିପ୍ରଥା ଓ  ଭଗବାନ ବୁଦ୍ଧ


ଜାତିବାଦ ହିନ୍ଦୁ ସମାଜର ଅପାର କ୍ଷତି ପହଁଚାଇଛି । ଜାତି ପ୍ରଥାକୁ କେହି ମାନ୍ୟତା ଦେଇ ନାହାଁନ୍ତି । ବେଦ ଠାରୁ ଗୀତା ପର୍ଯ୍ୟନ୍ତି କୌଣସି ଧର୍ମ ଗ୍ରନ୍ଥରେ  ଜାତି ପ୍ରଥାକୁ ମାନ୍ୟତା ଦିଆ ଯାଇନାହିଁ । ତଥାପି ଏହା ନିରନ୍ତର ଚାଲୁଅଛି । ତେଣୁ ଭଗବାନ ବୁଦ୍ଧ ସଦାସର୍ବଦା କହୁଥିଲେ କାହାର କୋଉ ଜାତି ପ୍ରଚାର ନାହିଁ । ଭଗବାନ ବୁଦ୍ଧ ଜାତି ପ୍ରଥା ଦୂରକରିବା ପାଇଁ ଜନ ଜାଗରଣ ସୃ୍ଷ୍ଟି କରିଥିଲେ । ଭଗବାନ ବୁଦ୍ଧ ଦିନେ ଇଛାନଗର ନାମକ ଗ୍ରାମରେ ଥିଲେ । ଏହି ଗାଁର ବଶିଷ୍ଠ ଏବଂ ଭରଦ୍ୱାଜ ନାମକ ଦୁଇ ଜଣ ବ୍ରାହ୍ମଣ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ବିବାଦର କାରଣ ହେଲା ମନୁଷ୍ୟ ଜନ୍ମରୁ ଶ୍ରେଷ୍ଠ ଅଟେ ନା କର୍ମ ଅନୁସାରେ ଶ୍ରେଷ୍ଠ ଅଟେ ? ଏହି ବିବାଦର ସମାଧାନ ପାଇଁ ସେମାନେ ଗୌତମ ବୁଦ୍ଧଙ୍କ ନିକଟରେ ପହଂଚିଲେ । ବଶିଷ୍ଠ କହିଲେ -ହେ ଭଗବାନ ମନୁଷ୍ୟ ଜନ୍ମରୁ ବ୍ରାହ୍ମଣ ଅଟେ ନା କର୍ମ  ଅନୁସାରେ ବ୍ରାହ୍ମଣ ଅଟେ ? ଆପଣ ଏହି ପ୍ରଶ୍ନର ସଠିକ୍ ନିର୍ଣ୍ଣୟ ନିଅନ୍ତୁ । 
ଭଗବାନ ଗୌତମ ବୁଦ୍ଧ କହିଲେ- ‘ହେ ବଶିଷ୍ଠ! ଜଙ୍ଗଲ ମଧ୍ୟରେ ଥିବା ଗଛଲତା ଭିନ୍ନ ଭିନ୍ନ ନାମରେ ପରିଚିତ । ସେହି ପରି ପଶୁପକ୍ଷୀମାନେ ମଧ୍ୟ ଭିନ୍ନ ଭିନ୍ନ ଅଟନ୍ତି । ଜଳରେ ବାସ କରୁଥିବା ମାଛ,ସରିସୃପମାନଙ୍କର ମଧ୍ୟ ଅନେକ ଜାତି ଅଛି । ସେହିପରି ଆକାଶରେ ଉଡୁଥିବା ପକ୍ଷୀମାନଙ୍କର ମଧ୍ୟ ଅଲଗା ଅଲଗା ଜାତି ଅଛି । ପଶୁ,ପକ୍ଷୀ,ବୃକ୍ଷ ଲତା ଦେଖିବାକୁ ଅଲଗା ଅଲଗା । ସେଥିପାଇଁ ତାଙ୍କର ଜାତି ଅଲଗା ଅଟେ । ମନୁଷ୍ୟ ଦେଖିବାକୁ ଏକ । କେଶ, ଆଖି, ମୁହଁ, ନାକ, ଓଠ, କାନ, ବେକ, ପେଟ,ପିଠି,ହାତ ପାଦ ଆଦି ଅବୟବ ଅନ୍ୟ ମନୁଷ୍ୟ ଠାରୁ ଅଲଗା ଦେଖା  ଯାଏ ନାହିଁ । କନ୍ତୁ ପଶୁ ପକ୍ଷୀଙ୍କ ଆକାର ପ୍ରକାର ଦେଖି ତାଙ୍କର ଜାତି ଜାଣି ହୁଏ । ମନୁଷ୍ୟକୁ ଦେଖିଲେ ତାର ଜାତି ଜାଣି ହୁଏ ନାହିଁ । ମନୁଷ୍ୟର ଅବୟବ ପ୍ରାୟତଃ ସମାନ । ପରନ୍ତୁ ମନୁଷ୍ୟର ଜାତି କର୍ମ ଅନୁସାରେ ନିଶ୍ଚିତ କରାଯାଇପାରେ । 
କୌଣସି ବ୍ରାହ୍ମଣ ଗାଈ ଚରାଇଲେ ତାକୁ ଗୋପାଳକ ବା ଗୌଡ କୁହାଯାଏ କିନ୍ତୁ ବ୍ରାହ୍ମଣ କୁହାଯାଇପାରିବ ନାହିଁ । ଯିଏ କଳାକୃତିକୁ ନେଇ ଜୀବନ ଚଳାଉଛି ସେ କାରିଗର । ଯିଏ ବେପାର କରୁଛି ସିଏ ବେପାରୀ । ଦୂତ କାମ କରୁଥିବା ବ୍ୟକ୍ତି ଦୂତ । ଚୋରି କରୁଥିବା ଲୋକ ଚୋର । ସେନା ବାହିନୀରେ ଯିଏ କାମ କରୁଛି ସିଏ ସୈ÷ନିକ । ଯାଗ ଯଜ୍ଞ କରୁଥିବା ବ୍ୟକ୍ତି ପୁରୋହିତ ବା ଯାଜକ ଏବଂ ଯିଏ ରାଷ୍ଟ୍ର ଚଳାଉଛନ୍ତି ସେ ରାଜା । କିନ୍ତୁ କେହି ଜନ୍ମରୁ ବ୍ରାହ୍ମଣ ହୋଇ ଜନ୍ମ ହୋଇନଥାଏ ।  ସମସ୍ତ ସାଂସାରିକ ବନ୍ଧନରୁ ମୁକ୍ତ ହୋଇ ଦୁଃଖରେ ବିଚଳିତ ନହୁଏ ବା କୌଣସିଥିରେ ଆସକ୍ତି ହୁଏ ନାହିଁ ସେହି ହିଁ ବ୍ରାହ୍ମଣ । କେହି ଜନ୍ମରୁ ବ୍ରାହ୍ଣଣ  ଅଥବା ଅବ୍ରାହ୍ମଣ  ହୋଇ ନଥାଏ । କର୍ମ ଦ୍ୱାରା ବ୍ରାହ୍ମଣ ହୁଏ ପୁଣି କର୍ମ ଦ୍ୱାରା ଅବ୍ରାହ୍ଣଣ ମଧ୍ୟ ହୁଏ । କୃଷକ, ସୈନିକ, ଚଣ୍ଡାଳ, ଚୋର, ଡାକ୍ତର, ଶିକ୍ଷକ, ଧୋବା, ବେପାରୀ, କାରିଗର, ପଣ୍ଡିତ, ରାଜା ନିଜ ନିଜ କର୍ମ ଦ୍ୱାରା ହୋଇଥାନ୍ତି । କର୍ମ ଦ୍ୱାରା ସାରା ବିଶ୍ୱ ଚାଲୁଛି । କର୍ମ ଉପରେ ସବୁ ପ୍ରାଣି ନିର୍ଭର କରି ଚଳିଥାନ୍ତି ।
ଭଗବାନ ଗୌତମ ବୁଦ୍ଧ ସମାଜରେ ସମରସତା ଜାଗରଣ ଉଦେ୍ଦଶ୍ୟରେ ନିରନ୍ତର ଭ୍ରମଣ କରୁଥିଲେ । ସମସ୍ତଙ୍କ ମଧ୍ୟରେ ସେ ସ୍ନେହ ମୈତ୍ରୀର ଭାବ ବଂଟନ କରୁଥିଲେ । ଭିକ୍ଷାମାଗି ଭୋଜନ କରୁଥିଲେ । ସେଥିପାଇଁ ସେ କାହାରି ଜାତି ପଚାରୁ ନଥିଲେ । କି କେହି ତାଙ୍କୁ ତାଙ୍କର ଜାତି ପଚାରୁ ନଥିଲେ । ଜୀବନର ଅନ୍ତିମ ଭିକ୍ଷା ଜଣେ କୁମ୍ଭାର ଠାରୁ ଗ୍ରହଣ କରିଥିଲେ । ସେହି କୁମ୍ଭାର ଘରେ  ଭୋଜନପରେ ତାଙ୍କର ମହାପରି ନିର୍ବାଣ ହୋଇଥିଲା ।  ଜାତିଭେଦ ଦୂରକରିବା ପାଇଁ ସନ୍ଥ ମହାପୁରୁଷମାନେ ନିରନ୍ତର ଚେଷ୍ଟା ଚଳାଇଛନ୍ତି । ଶଙ୍କରାଚାର୍ଯ୍ୟ, କବୀର, ରବିଦାସ, ରାମାନନ୍ଦ, ନାନକ, ଗୁରୁ ତେଗ୍ବାହାଦୁର ଆଦି ଜାତିପ୍ରଥା ଦୂରପାଇଁ ଜନଜାଗରଣ ସୃଷ୍ଟି କରିଥିଲେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠାତା ଡକ୍ଟର କେଶବ ବଳିରାମ ହେଡେଗେୱାର କହୁଥିଲେ ଆମେ ସବୁ ହିନ୍ଦୁ ଏକ । ହିନ୍ଦୁ ହିନ୍ଦୁ ଭାଇ ଭାଇ । ଆମ ମଧ୍ୟରେ ଜାତି ଭେଦ ନାହିଁ ।             
               ଗୋଲଖ ଚନ୍ଦ୍ର ଦାସ,ମୋ-୯୮୬୧୦୨୮୫୫୩